ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ରଘୁପୁର ପଞ୍ଚାୟତର ପଣସିଆ-ଖୁଣ୍ଟାପୁର ସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶନିବାର ପୂର୍ବାହ୍ନରେ ସେହି ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ନେଇ ଦଶମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରଞ୍ଜିତା ପତି ଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୂଖ୍ୟ ବକ୍ତା ଭାବେ ଉତ୍କଳ ଶିକ୍ଷା ପରିଷଦ ସମ୍ପାଦକ ଯୋଗେନ୍ଦ୍ର ଦାଶ ଯୋଗଦେଇ ବିଜ୍ଞାନ ଯୁଗର ଆଗାମୀ ଭବିଷ୍ୟତ ଏହି କୁନି କୁନି ପିଲାମାନଙ୍କ ମଧ୍ୟରେ କିଏ ଦିନେ ମହାନ ବୈଜ୍ଞାନିକ ଡ. ଅବଦୁଲ କାଲାମ୍ ହୋଇ ନ ପାରିବ କିଏ କହି ପାରିବ ବୋଲି ସମ୍ବୋଧିତ କରିଥିଲେ। ମହେଶ୍ଵର ଖୁଣ୍ଟିଆ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଚିନ୍ତାମଣି ତିଳୋତ୍ତମା ଉଚ୍ଚବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋଜ କୁମାର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସତ୍ୟସାଇ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ରାଧୁ ସିଂ ଓ ଶିକ୍ଷିକା ତୃଷ୍ଣା ଦାସ ଏବଂ ଇଂରାଜୀ ଶିକ୍ଷିକା ଜ୍ୟୋତ୍ସ୍ନା ରାଣୀ ପାତ୍ର ଯୋଗ ଦେଇ କୁନି କୁନି ପିଲାମାନଙ୍କ ମନରେ ବିଜ୍ଞାନର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା ମାଧ୍ୟମରେ ଉପଦେଶ ଦେଇଥିଲେ। ମୋଟ ୨୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ କୁଇଜ୍ , ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କାହ୍ନୁ ଚରଣ ପତି ସ୍ଵାଗତ ଭାଷଣ ଦେଇଥିବା ବେଳେ ଶୁଭଲକ୍ଷ୍ମୀ ବସନ୍ତିଆ, ମାନସୀ ଦତ୍ତ, ରେଣୁବାଳା ସେଠୀ, ଜୟସ୍ମିତା ଦତ୍ତ, ସୁଜାତା ସାହୁ, ଦେଵବ୍ରତ ସାହୁ ପ୍ରମୂଖ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟା ରଞ୍ଜିତା ପତି ଧନ୍ୟବାଦ ଅର୍ପଣ କରିଥିଲେ।